ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ପରେ ଅକ୍ଷୟ କୁମାର ନିଜର ଏକ ଘର ବିକ୍ରି କରିଛନ୍ତି । ବିଗ୍‌ ବି’ ନିଜର ଓସିଓ୍ବାରା ଆାପର୍ଟମେଣ୍ଟକୁ ୧୬୮ ପ୍ରତିଶତ ଲାଭରେ ବିକ୍ରି କରିଥିବା ବେଳେ ଅକ୍ଷୟ ନିଜର ଆପାର୍ଟମେଣ୍ଟକୁ ୮୦ ପ୍ରତିଶତ ଲାଭରେ ବିକିଛନ୍ତି । ମିଳିଥିବା ସୂଚନା ଅନୁସାରେ ବଲିଉଡ୍‌ର ଧନୀ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ ଅକ୍ଷୟ କୁମାର ମୁମ୍ବାଇର ଏକ ଆପାର୍ଟମେଣ୍ଟକୁ ୪ କୋଟି ୨୫ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି । ସ୍କାଏ ସିଟି ଆପାର୍ଟମେଣ୍ଟସ୍‌ରେ ଥିବା ଏହି ଫ୍ଲାଟକୁ ଖିଲାଡି କୁମାର ବିକ୍ରି କରିଥିବା ନେଇ Square Yards ପକ୍ଷରୁ ଜାରି ଏକ ରିପୋର୍ଟରୁ ଜଣାପଡ଼ିଛି । 

 ସିଟି ଆପାର୍ଟମେଣ୍ଟସ୍‌ ‘ଓବରୟ ରିୟଲିଟି’ ଦ୍ବାରା ନିର୍ମାଣ କରାଯାଇଥିବା ବେଳେ ଏହା ୨୫ ଏକ ଜମିରେ ଅବସ୍ଥିତ । ଅକ୍ଷୟ କୁମାର ନିଜର ଆପାର୍ଟମେଣ୍ଟ ବିକ୍ରି କରି ପ୍ରାୟ ୮୦ ପ୍ରତିଶତ ଲାଭ ପାଇଛନ୍ତି । ନଭେମ୍ବର ୨୦୧୭ରେ ଅଭିନେତା ଏହାକୁ ୨ କୋଟି ୩୮ ଲକ୍ଷ ଟଙ୍କା କ୍ରୟ କରିଥିଲେ । ତେବେ ଏହି ଫ୍ଲାଟକୁ ବିକ୍ରି କରିବା ଲାଗି ଷ୍ଟାମ୍ପ ଡ୍ୟୁଟି ବାବଦକୁ ୨୫.୫ ଲକ୍ଷ ଏବଂ ପଞ୍ଜିକରଣ ପାଇଁ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଅକ୍ଷୟ କୁମାରଙ୍କ ଏହି ଆପାର୍ଟମେଣ୍ଟରେ ୧,୦୭୩ ବର୍ଗ କିଲୋମିଟରର ଏକ କାର୍ପେଟ୍‌ ଏରିୟା ରହିଛି । ଏହା ସହ ଦୁଇଟି କାର୍‌ ରହିବା ଲାଗି ପାର୍କିଂ ବ୍ୟବସ୍ଥା ଅଛି । 

 ସେପଟେ ଅକ୍ଷୟ କୁମାର ଅଭିନୀତ ଫିଲ୍ମ ସଂପର୍କରେ କହିଲେ, ତାଙ୍କର ଏକ ସିନେମା ଏବେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ‘ସ୍କାଏ ଫୋର୍ସ’ ରିଲିଜ୍‌ ହୋଇଥିବା ବେଳେ ଏଥିରେ ଅକ୍ଷୟ କୁମାରଙ୍କ ବ୍ୟତୀତ ବୀର ପାହାରିୟା ବଲିଉଡ୍‌ ଡେବ୍ୟୁ କରିଛନ୍ତି । ସେହିଭଳି ସାରା ଅଲି ଖାନ୍‌, ନିମ୍ରତ କୌର ଏବଂ ଶରଦ କେଲକର ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ଏହା ବ୍ୟତୀତ ଅଭିନେତା ଅକ୍ଷୟ କୁମାର ଅଭିନୀତ ହାଇସ୍‌ଫୁଲ-୫, ଜୋଲି ଏଲଏଲବି ୩ ଏବଂ ଭୂତ୍‌ ବଙ୍ଗଲା ରିଲିଜ୍‌ ଅପେକ୍ଷାରେ ରହିଛି । 

ସୂଚନାଯୋଗ୍ୟ, ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ମୁମ୍ବାଇର ଓସିଓ୍ବାରାରେ ଥିବା ତାଙ୍କ  ଆପାର୍ଟମେଣ୍ଟ ବିକ୍ରି କରିଛନ୍ତି। ଇନ୍‌ସ୍ପେକ୍ଟର୍‌ ଜେନେରାଲ୍‌ ଅଫ୍‌ ରେଜିଷ୍ଟ୍ରେସନ୍‌ (IGR)ର ୱେବସାଇଟ୍‌ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଅଭିନେତା ଏହି ପ୍ରପର୍ଟି ୨୦୨୧ ମସିହାରେ ପ୍ରାୟ ୩୧ କୋଟି ଟଙ୍କାରେ କିଣିଥିଲେ। ରିପୋର୍ଟ ଅନୁଯାୟୀ, ୪ ବର୍ଷରେ ଏହି ପ୍ରପର୍ଟିର ମୂଲ୍ୟ ୧୬୮ ପ୍ରତିଶତ ବଢିଛି। ୨୦୨୧ରେ ଅମିତାଭ ଏହି ଆପାର୍ଟମେଣ୍ଟକୁ ଅଭିନେତ୍ରୀ କ୍ରିତି ସାନନ୍‌ଙ୍କୁ ମାସିକ ୧୦ ଲକ୍ଷ ଟଙ୍କା ଭଡ଼ାରେ ଦେଇଥିଲେ । ୪ ବର୍ଷ ପରେ ଅମିତାଭ ଏହି ଆପାର୍ଟମେଣ୍ଟକୁ ପ୍ରାୟ ୮୩ କୋଟି ଟଙ୍କାରେ ବିକ୍ରି କରିଛନ୍ତି